ହାତୀ କରୁଛି ଉପଦ୍ରବ,ଆସୁନି ବନବିଭାଗ

ବାରଙ୍ଗ, ୧୬/୧୨(ଏସଏସନିଉଜ) ଚନ୍ଦକା-ଡମପଡା ଅଭୟାରଣ୍ୟ କଡରେ ଥିବା ଭଗିପୁର ଗ୍ରାମ ନିକଟରେ ହାତୀମାନେ ଉପଦ୍ରବ କରୁଥିବାର ଜଣାପଡିଛି । ଗୁରୁବାର ବିଳମ୍ବିତ ରାତ୍ରିରେ ୧୬ ଟିକିଆ ହାତୀ ପଲ ଆଠଗଡ ସୁକାଶନ ଜଙ୍ଗଲରୁ ମହାନଦୀପାର ହୋଇ ଚନ୍ଦକାଡମପଡା ଅଭୟାରଣ୍ୟକୁ ଫେରୁଥିବାବେଳେ ହାତୀ ପଲ ଆସି ଗ୍ରାମର ନିକଟ ଚାଷଜମିରେ ପଶି ବ୍ୟାପକ ଫସଲନଷ୍ଟ କରିଥିବା ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଭଗିପୁର ବନବିଭାଗ ଓ ଡମପଡା ରେଞ୍ଜରଙ୍କୁ ଏବିଷୟରେ ଅଭିଯୋଗ କରିଥିଲେ ମଧ୍ୟ ବାବୁମାନେ ଶୁଣିନଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।ଯାହା ଫଳରେ ଚାଷୀମାନଙ୍କର ଆର୍ଥିକ ଅବସ୍ଥା ଭାଙ୍ଗିପଡ଼ୁଛି । ଭଗିପୁର ଗ୍ରାମର ବିମ୍ବାଧର ସାହୁ, ବେଣୁଧର ସାହୁ ଆଦି ଚାଷୀମାନଙ୍କ ଫୁଲକୋବି, ବନ୍ଧାକୋବି, ବାଇଗଣ, ବିଲାତି, ମକା, ଭେଣ୍ଡି ଆଦିଫସଲ ଦଳିଚକଟି ହାତୀନଷ୍ଟ କରିଦେଇଛି । ଏହା ସହିତ ହାତୀପଲ ଗ୍ରାମଗୁଡିକ ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ହାତୀମାନଙ୍କର ଏଭଳି ଆଚରଣ ଦେଖି ସ୍ଥାନୀୟ ଜନସାଧାରଣ ଭୟରେ ଘର ଭିତରେ ରହୁଛନ୍ତି । ସ୍ଥାନୀୟ ଲୋକମାନେ ନିକଟସ୍ଥ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ଭଗିପୁର ବନଖଣ୍ଡ ଅଧିକାରୀ କି କର୍ମଚାରୀମାନେ ପହଂଚି ନଥିବାରୁ ଚାଷିମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବନବିଭାଗ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହିତ ହାତୀମାନଙ୍କୁ ଘଉଡାଇବାର ବ୍ୟବସ୍ଥା କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

- Advertisement -

Leave A Reply

Your email address will not be published.