ମାନବିକତା ଦେଖାଇଲେ ଅଟୋଚାଳକ

0 290

ଭୁବନେଶ୍ୱର,୨୫/୪(ଏସଏସନିଉଜ)ମାନବିକତାର ପ୍ରକୃତ ପରିଚୟ ବଡଗଡ ଥାନା ଅନ୍ତର୍ଗତ ଝରଣାସାହି ବସ୍ତିର ବସନ୍ତ କୁମାର ସାହୁ ନାମକ ଜଣେ ଅଟୋ ଚାଳକ ଦେଇଛନ୍ତି। ଗତ ତା୨୩.୦୪.୨୦୨୨ ରିଖରେ ଅଟୋ ଚାଳକ ବସନ୍ତ ଜ୍ୟୋତ୍ସ୍ନାରାଣୀ ସାହୁ ନାମ୍ନି ଜଣେ ମହିଳା ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ସମ୍ପୃକ୍ତା ମହିଳା ଜଣକ ଏକ ଭ୍ୟାନିଟି ବ୍ୟାଗକୁ ଭୁଲ ବଶତଃ ତାଙ୍କ ଅଟୋରେ ଛାଡି ଚାଲି ଯାଇଥିଲେ। ଏଣୁ ଅଟୋ ଚାଳକ ଜଣକ ଉକ୍ତ ଭ୍ୟାନିଟିକୁ ଖୋଲି ଦେଖିବା ପରେ ସେଥିରେ ସୁନାର ହାର, ଚେନ, କାନଫୁଲ, ଶଙ୍ଖା ଏବଂ ରୂପାର ଅଳଙ୍କାର ସହିତ କିଛି ଟଙ୍କା, ଗୋଟିଏ ଏଟିଏମ କାର୍ଡ ଓ ଗୋଟିଏ ଭୋଟର ପରିଚୟ ପତ୍ର ଭଳି ବହୁ ମୂଲ୍ୟବାନ ଜିନିଷ ଥିବାର ଦେଖିବାକୁ ପାଇଥିଲେ। ପରିବାର ପ୍ରତିପୋଷଣ ପାଇଁ ଅଟୋଚଳାଇବାକୁ ନିଜର ବୃତ୍ତି ଭାବରେ ବାଛି ନେଇଛନ୍ତି ସତ, କିନ୍ତୁ ସଦା ସର୍ବଦା ନିଜର ମାନବିକତା ଓ ବ୍ୟକ୍ତିତ୍ଵକୁ ସେ ଗୁରୁତ୍ଵ ଦେଇ ଆସିଛନ୍ତି । ବସନ୍ତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଲୋଭ ତାଙ୍କ ବ୍ୟକ୍ତିତ୍ଵକୁ କେବେ ପ୍ରଭାବିତ କରିପାରିନଥିଲା । ଏହି ବହୁମୂଲ୍ୟସାମଗ୍ରୀ ଥିବା ଭ୍ୟାନିଟିକୁ ତାର ପ୍ରକୃତ ମାଲିକଙ୍କୁ ଫେରେଇ ଦେବା ଲାଗି ସେ ତୁରନ୍ତ ବଡଗଡ ଥାନା ପୋଲିସଙ୍କୁ ଯୋଗାଯୋଗ କରିବା ସହିତ ବ୍ୟାଗ ଟିକୁ ତାଙ୍କ ଜିମ୍ମା ଦେଇଥିଲେ। ପରେ ବଡଗଡ ଥାନା ଭରପ୍ରାପ୍ତ ଅଧିକାରୀ ଉକ୍ତ ଭ୍ୟାନିଟିର ପ୍ରକୃତ ମାଲିକଙ୍କୁ ଯୋଗାଯୋଗ କରିବା ପରେ ସେମାନେ ଆଜି ଥାନାରେ ପହଞ୍ଚି ଥିଲେ। ପ୍ରକୃତ ମାଲିକାନା ଯାଞ୍ଚ ପରେ ବଡଗଡ ଥାନା ଭରପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତିରେ ଅଟୋ ଚାଳକ ବସନ୍ତ କୁମାର ସାହୁ ଉକ୍ତ ଭ୍ୟାନିଟିକୁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ହସ୍ତାନ୍ତର କରିଥିଲେ । ନିଜ ହକି ଯାଇଥିବା ଜିନିଷ ଗୁଡ଼ିକୁ ପାଇ ମହିଳା ଜଣକ ଆନନ୍ଦ ଅନୁଭବ କରିବା ସହ ଅଟୋ ଚାଳକ ଶ୍ରୀ ସାହୁଙ୍କୁ ସାଧୁବାଦ ଜଣାଇଥିଲେ।

 

Leave A Reply

Your email address will not be published.