କଟକ,୩।୯(ଏସଏସନିଉଜ)୨୦୨୬ର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାରମ୍ପରିକ ବୁଣାକଳାର ଜଣେ ପ୍ରଖ୍ୟାତ ପ୍ରବକ୍ତା ଶରତ ଚନ୍ଦ୍ର ପାତ୍ର ତାଙ୍କ ପତ୍ନୀ ଯଶୋଧରା ପାତ୍ର ଗୁରୁବାର ଦିନ ମୁଣ୍ଡଳୀ ସ୍ଥିତ ଏନ୍ଡିଆର୍ଏଫ୍ ର ୦୩ ବାଟାଲିୟନକୁ ପରିଦର୍ଶନରେ ଆସିଥିଲେ।
ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକଳାର ଐତିହ୍ୟକୁ ସଂରକ୍ଷଣ, ପ୍ରଚାର-ପ୍ରସାର ଏବଂ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏନ୍ଡିଆର୍ଏଫ୍ର ଅଧିକାରୀ ଓ ଜବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ନିଜର ପ୍ରେରଣାଦାୟକ ଜୀବନଯାତ୍ରା ବିଷୟରେ ଅବଗତ କରାଇଥିଲେ। ବାଲ୍ୟଜୀବନରୁ ଆରମ୍ଭ କରିଥିବା ପାରମ୍ପରିକ ବୁଣାକଳା କ୍ଷେତ୍ରରେ ତାଙ୍କର ଅନୁଭୂତି, ସଂଘର୍ଷ, ନିଷ୍ଠା, ପରିଶ୍ରମ ଓ ସଫଳତାର ବିଭିନ୍ନ ପର୍ୟ୍ୟାୟ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଦୀର୍ଘବର୍ଷର କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଅଧ୍ୟବସାୟ ତାଙ୍କୁ ଜାତୀୟସ୍ତରରେ ସମ୍ମାନ ଓ ପରିଚୟ ଦେଇଥିବା ସେ ପ୍ରକାଶ କରିଥିଲେ।ଏହାସହ ଶ୍ରୀ ପାତ୍ର ବିଶେଷ ଭାବେ ଓଡ଼ିଶାର ପାରମ୍ପରିକ ବୁଣାକଳାର ସାଂସ୍କୃତିକ ମହତ୍ତ୍ୱ, ସ୍ୱତନ୍ତ୍ରତା ଓ ସମୃଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଯୁବପିଢ଼ିକୁ ସ୍ୱଦେଶୀ କଳା, କାରିଗରୀ ଓ ପାରମ୍ପରିକ ହସ୍ତଶିଳ୍ପକୁ ବୁଝିବା, ସମ୍ମାନ କରିବା ଓ ସମର୍ଥନ କରିବାକୁ ଆହ୍ୱାନ ଜଣାଇଥିଲେ।ଏହି ଆଲୋଚନାରେ କମାଣ୍ଡାଣ୍ଟ ଶ୍ରୀ ନାଗେନ୍ଦ୍ର ଶର୍ମା, ଏସ୍. କେ. ପାସୱାନ୍, ବର୍ଦ୍ଧମାନ ମିଶ୍ରଙ୍କ ସମେତ ସମସ୍ତ ମେଡିକାଲ୍ ଅଫିସର ଏବଂ ଏନ୍ଡିଆର୍ଏଫ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।(ଜିତ ରାଉତଙ୍କ ରିପୋର୍ଟ)

