ନିଷ୍କର୍ମା ମନ- ଭୂତର ଘର

0 140

ଆଜି ରାତିର କାହାଣୀ ,ନିଷ୍କର୍ମା ମନ- ଭୂତର ଘର 

କମଳ ଦ୍ୱିପ୍ରହରର ଭୋଜନ ପରେ ଆରାମ୍ରେ ପିଣ୍ଡାରେ ଶୋଇ ଏଣୁତେଣୁ ଭାବୁଥାଏ । ମନ ଏମିତି ଏକ ଜିନିଷ ତାକୁ ଖାଲି ଛାଡିଦେଲେ, ଭୂତମାନେ ତା’ଉପରେ ସବାର ହୋଇଯାନ୍ତି । ଯେତେସବୁ ବାଜେ ଚିନ୍ତା ମନକୁ ଆସେ । ଏପରି ସମୟରେ ଜଣେ ପଥିକ ଆସି ତାକୁ ପଚାରିଲା, “ଆଜ୍ଞା, ଏଇଟା କମଳର ଘର ତ? ମନେ ହେଉଥିଲା ସେ ଯେମିତି ବହୁଦୂରରୁ ଆସିଛି ।
ସେତେବେଳେ ତ କମଳର ମନରେ କେବଳ ନାନା ଉଦ୍ଭଟ ଚିନ୍ତାସବୁ ଆସୁଥା’ନ୍ତି । ସେ ଉତ୍ତର ଦେଲା, “ନାହିଁ” ଆଗନ୍ତୁକ ଆଶ୍ଚର‌୍ୟ୍ୟ ହୋଇ ପଚାରିଲା, ଏହି ଘର ନୁହେଁ? କମଳ କହିଲା “କହିଲି ପରା ନୁହେଁ ବୋଲି; କମଳର ଘର ଗ୍ରାମର ଉତ୍ତରରେ ଥିବା ଶିବମନ୍ଦିର ପାଖରେ କେଉଁଠି ଅଛି ଯାଇ ପଚାରି ବୁଝ । ଠିକ୍ ଅଛି” ଏହା କହି ସେ ଆଗନ୍ତୁକ ଉତ୍ତର ଦିଗକୁ ଗଲା । ଘଂଟାଏ ପରେ ପୁଣି ଫେରି ଆସି ସେ କହିଲା, “ଆପଣଙ୍କ କହିବା ଅନୁସାରେ ଶିବମନ୍ଦିର ଯାଇ ସେଠାରେ ପଚାରି ବୁଝିଲି ସେପରି କେହି ବି ନାହିଁ । ଏଇ ଘର ତ କମଳର ବୋଲି ସେମାନେ କହିଲେ ।
ତା’ପରେ  ସେ କମଳ ହସିହସି କହିଲା “ସେମାନେ କିଛି ନଜାଣି ଯାହା ଇଚ୍ଛା କହିଦେଲେ; କିନ୍ତୁ ସତ କଥା ହେଉଛି ଯେ ଏଇଟା କମଳର ଘର ନୁହେଁ । ଦେଖ, ସିଧା ଚାଲିଯାଅ, ଦେଖିବ ପୋଖରୀଟିଏ ପୋଖରୀ କୂଳରେ ବଡ ବରଗଛଟିଏ, ସେଇଠି ଯାଇ ପଚାର । କମଳ କହିଥିବା ରାସ୍ତାରେ ସେ ଆଗନ୍ତୁକ ଜଣକ ଗଲା । ସେଠାରୁ ଫେରି ଆସି ସେ କହିଲା, “ପୋଖରୀ ନିକଟରେ କମଳ ନାମକ ଲୋକ ନାହିଁ । ସମସ୍ତେ କହିଲେ ଏଇ ଘରଟା କମଳର ।
କମଳ ଅଳ୍ପ ହସି କହିଲା, “ତମେ ତ ବଡ ଅଜବ ଲୋକ । ତମେ ତାଙ୍କୁ କ’ଣ ପଚାରିଲ ଓ ସେମାନେ ତୁମକୁ କ’ଣ କହିଲେ ମୁଁ ତ ସେକଥା କାହିଁ ମୋଟେ ବୁଝିପାରୁନାହିଁ । କିନ୍ତୁ ଜାଣିରଖ ଏଇଟା କମଳର ଘର ନୁହେଁ । ପୋଖରୀ ପାଖରେ ଥିବା କମଳ ଅବଶ୍ୟ ଘର ବଦଳାଇବାକୁ କହୁଥିଲା । ସେମିତି କିଛି ଘଟିଥିବ । ତେଣୁ ତମେ ଗୋଟାଏ କାମକର । ସିଧା ପଶ୍ଚିମ ପଟକୁ ଯାଅ । ସେଠାରେ ଗ୍ରାମର ଅତିଥିଶାଳା ରହିଛି । ସେମାନେ ହୁଏତ ଏ ସମ୍ପର୍କୀୟ କିଛି ଖବର ତୁମକୁ ଦେଇ ପାରିବେ ।
ଲୋକଟି ଅଳ୍ପସମୟ ପରେ ବୁଲି ବୁଲି ଆସି ପୁଣି କମଳ ପାଖରେ ପହଁଚି ସେ କହିଲା, “ସେଠାରେ କମଳ ବୋଲି କୌଣସି ବ୍ୟକ୍ତିର ଘର ନାହିଁ । ସମସ୍ତେ କହିଲେ ଏହି ଘରଟି କମଳର ।କମଳ ପୁଣି କହିଲା “ଏବେ ତୁମେ ଦକ୍ଷିଣ ପଟକୁ ଯାଅ; ସେଠାରେ ଏକ ବଡ ବରଗଛ ଅଛି । ସେଇଠି ପଚାରିଲେ ସେମାନେ ହୁଏତ କହିଦେବେ । ଆଗନ୍ତୁକଟି କଥା ମାନି ପୁଣି ଗଲା ଓ କିଛି ସମୟ ପରେ ଲେଉଟି ଆସି ସେ କହିଲା, “ବର ଗଛ ପାଖକୁ ଯାଇ ମୁଁ ଯାହା ଦେଖିଲି, ମନେ ହେଲା ସେଠାରେ ବରଂ ମଣିଷ ନୁହଁନ୍ତି ଭୂତ ପ୍ରେତହିଁ ରହୁଛନ୍ତି । ରାସ୍ତାରେ ଥିବା ଲୋକେ କହିଲେ ଯେ ଏଇଟା ହେଉଛି କମଳର ଘର । କିନ୍ତୁ କେବଳ ଆପଣ କହୁଛନ୍ତି ଯେ କମଳର ଘର ଏଘର ନୁହେଁ । ବୁଲି ବୁଲି ଥକି ଗଲିଣି, ଆଉ ପାରିବି ନାହିଁ । ଯେଉଁକାମ ସକାଶେ ଆସିଥିଲି, ତାହା ତ ହେଲା ନାହିଁ । ଛାଡ, ଏବେ କମଳର ଘର ଖୋଜିବା ମୋ ପକ୍ଷେ ଆଉ ମୋଟେ ସମ୍ଭବ ନୁହେଁ । ବରଂ ମୁଁ ଏଠାରୁ ଶୀଘ୍ର ଫେରି ଯାଉଛି ।
ସେତେବେଳେ ଯାଇ ସେ କମଳ ଭାବିଲା ଯେ, ଏବେ ଏପ୍ରକାର ଥଟ୍ଟାତାମସା ବନ୍ଦ କରିବା ଉଚିତ୍ । ସେ ତା’ପରେ ଆଗନ୍ତୁକଙ୍କୁ ଡାକି କହିଲା, “ଶୁଣ, ମୁଁହିଁ କମଳ; ଏହି ହେଉଛି ମୋ ଘର; କି କାମରେ ଆସିଥିଲ? ଏକଥା ଶୁଣି ସେ ଆଗନ୍ତୁକଟି ରାଗିଯାଇ କହିଲା, “ମହାଶୟ, ଆପଣ ନିଜେ ଯଦି କମଳ, ତେବେ ଏତେଥର ପଚାରିଲେ ମଧ୍ୟ କାହିଁକି କିଛି କହୁ ନଥିଲେ? କାହିଁକି ମୋତେ ସାରା ଗ୍ରାମ ବୁଲାଇଲେ? କମଳ ତା’ କଥାକୁ ଖାତିର ନକରି ଅଳ୍ପ ହସି କହିଲା, “ମୋର ମସ୍ତିସ୍କରେ ଏକ ବିଚାର ଆସିଥିଲା, ମୁଁ ଜାଣିବାକୁ ଚାହୁଁଥିଲି ଯେ ଆମ ଗ୍ରାମରେ କେତେଲୋକ ମୋତେ ଓ ମୋ ଘରକୁ ଜାଣନ୍ତି; ଏବେ କୁହ ତୁମେ କେଉଁ କାମ ବିଷୟରେ ଏଠାକୁ ଆସି ଥିଲ?
ସେଇଠି ଠିଆ ହୋଇ ସେ ଆଗନ୍ତୁକ ଜଣକ ଚିତ୍କାର କରି କହିଲା, “ମହାଶୟ ମୁଁ ଜନାର୍ଦ୍ଦନ ପୁରରୁ ଆସିଛି । ଆପଣଙ୍କ ପାଇଁ ମୁଁ ଏକ ଜରୁରୀ ଖବର ନେଇ ଆସିଥିଲି । ଆପଣଙ୍କ ବନ୍ଧୁ କୋଟିପତି ଶ୍ରୀକଣ୍ଠଙ୍କର ଦେହାନ୍ତ ହୋଇଗଲା । ଆପଣ ତ ଭଲଭାବେ ଜାଣନ୍ତି ଯେ ତାଙ୍କର ପିଲା ପିଲି କେହି ନାହିଁ । ଏଣୁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ ଯେ ଆପଣଙ୍କୁ ଓ ତାଙ୍କର ଅନ୍ୟଦୁଇ ବନ୍ଧୁଙ୍କୁ ଯେପରି ସଙ୍ଗେସଙ୍ଗେ ଖବର ଦିଆଯାଏ । ଆହୁରି ମଧ୍ୟ ସେ କହିଥିଲେ, ଯିଏ ପ୍ରଥମେ ଆସି ତାଙ୍କ ମୃତଦେହର ଦାହ ସଂସ୍କାର କରିବ ସେହିଁ ତାଙ୍କ ସମ୍ପତ୍ତିର ଅଧେରୁ ବେଶି ପାଇବ । ମୁଁ ସେଠାରେ କାମ କରୁଥିଲି । ଭାବିଲି ମୁଁ ଆପଣଙ୍କୁ ପ୍ରଥମେ ନେଇ ଯାଇ ବହୁ ମୂଲ୍ୟ ପୁରସ୍କାରରେ ଭାଗୀ ଦେବି । ଆପଣ ଜାଣନ୍ତି ନାହିଁ କେତେ ଜୋର୍ରେ ଦୌଡି ଦୌଡି ମୁଁ ଏଠାକୁ ଆସିଛି । କିନ୍ତୁ ଘଟଣା ତ ଭିନ୍ନ ହୋଇଗଲା । ଏବେ ଆମେ ଶୀଘ୍ର ଗଲେ କିଛି ବି ଲାଭ ହେବ ନାହିଁ । ଅନ୍ୟ ଦୁଇବନ୍ଧୁଙ୍କ ମଧ୍ୟରୁ କେହି ହେଲେ ଯାଇ ସାରିବେଣି । ଏବେ କମଳ ଉପଲବ୍ଧି କଲା ଯେ ହାତରେ ସମୟ ଥିଲେ ବାଜେ ଚିନ୍ତା ପୁରାଇ ମନକୁ ଭିନ୍ନ ଦିଗରେ ନେଇଯିବା ଏକ ଭୂଲ୍ କଥା । ଏପରି କରିବା ଦ୍ୱାରା ଫଳ ସର୍ବଦା ଓଲଟା ହୁଏ ।

Leave A Reply

Your email address will not be published.