ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ

ଲୁଟିନେଲେ ଟଙ୍କା ଓ ମୋବାଇଲ,ଚଳନ୍ତା ଅଟୋରୁ ଠେଲିଦେଲେ

0 471

ବାରଙ୍ଗ,୨୧/୧୧(ଏସଏସନିୟୁଜ)ସାଙ୍ଗ ମାନଙ୍କ ସହ ଆସିଥିଲେ ବୁଲିବାକୁ।କିଛି ବ୍ୟକ୍ତି ସାଧା ପୋଷାକରେ ଆସି ପୋଲିସର ପରିଚୟ ଦେଇ ଯୁବକଙ୍କୁ ଅପହରଣ କଲେ।ଅଧବାଟରେ ମାଡ଼ ମାରି ଟଙ୍କା ଓ ମୋବାଇଲ ଛଡ଼ାଇ ନେଇ ଚଳନ୍ତା ଅଟୋରୁ ଠେଲି ଦେଲେ।ଏ କୌଣସି ଫିଲ୍ମ ର କାହାଣୀ ନୁହେଁ,ଏଭଳି ଘଟଣା ରବିବାର ନନ୍ଦନକାନନ ଥାନା ଅଧିନସ୍ଥ ନନ୍ଦନକାନନଛକରେ ଘଟିଛି ।
ସୂଚନାନୁସାରେ କଟକର ଏକ ଛାପା କାରଖାନାରେ ଦୀର୍ଘ ୨ ମାସ ହେବ କାର‌୍ୟ୍ୟ କରୁଥିବା ଗଜପତି ଜିଲ୍ଲା ଅଡବା ଥାନା ଆଶ୍ରୟ ଗ୍ରାମର ଲାଜୁ ଶବର,ହରଣ ଶବର,ଉପେନ୍ଦ୍ର ଶବର, ଇର୍ସାଇଲ ଶବର,ୱିଲିୟମ୍ ଶବର ରବିବାର ଛୁଟିଦିନ ଥିବାରୁ ମୋ ବସରେ ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ନିକଟରେ ବସରୁ ଓହ୍ଲାଇବା ପରେ ଏକ ଅଟୋରେ ଡ୍ରାଇଭର ସମେତ ୨ ଜଣ ବ୍ୟକ୍ତି ପହଞ୍ଚି ନିଜକୁ ବାରଙ୍ଗ ଥାନା ପୋଲିସ ପରିଚୟ ଦେଇ ସମସ୍ତଙ୍କୁ ଆଧାର କାର୍ଡ ଦେଖାଇବାକୁ କହିଥିଲେ।୪ ଜଣ ଯୁବକ ନିଜ ନିଜର ଆଧାର କାର୍ଡ ଦେଖାଇଥିଲେ।ହେଲେ ଲାଜୁଙ୍କ ପାଖରେ ଆଧାରକାର୍ଡ ନଥିବାରୁ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଧମକ ଦେଇ ଥାନାକୁ ଯିବାକୁ କହିଥିଲେ।ଏହାକୁ ଅନ୍ୟ ସାଙ୍ଗମାନେ ବିରୋଧ କରିଥିଲେ ହେଁ ଜୋରଜବରଦସ୍ତ ଲାଜୁଙ୍କୁ ଉଠାଇ ନେଇଥିଲେ।ଅନ୍ୟ ୪ ଜଣ ସାଙ୍ଗ ଆଉ ଏକ ଅଟୋ ରେ ତାଙ୍କର ପିଛା କରିଥିଲେ,ହେଲେ ସେମାନେ ଆଖି ପିଛୁଳାକେ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।ଏନେଇ ୪ ଜଣ ସାଙ୍ଗ ନନ୍ଦନକାନନ ଥାନାରେ ଘଟଣା ବିଷୟରେ ଅବଗତ କରିଥିଲେ।ଏନେଇ ନନ୍ଦନକାନନ

ଥାନା ପୋଲିସ ୧୩୧/୨୧ ରେ ଏକ ମାମଲା ରୁଜୁ କରି ଘଟଣାକୁ ଗୁରୁତର ସହ ନେଇ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଲାଜୁଙ୍କ କୌଣସି ପତ୍ତା ପାଇନଥିଲେ।ତେବେ ଅପରାହ୍ନ ସାଢେ଼ ୩ଟା ସୁଦ୍ଧା ଲାଜୁ ଅନ୍ୟଏକ ଅଟୋ ଯୋଗେ ନନ୍ଦନକାନନ ଥାନାରେ ପହଞ୍ଚି ସମସ୍ତ ଘଟଣା ବଖାଣିଥିଲେ।ଅପହରଣକାରୀ ଯୁବକ ଦ୍ବୟ ତାଙ୍କୁ ବାରଙ୍ଗ ପୋଲିସ ପରିଚୟ ଦେଇ ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଧିନସ୍ଥ ସିଆଇଏସଏଫ ପର‌୍ୟ୍ୟନ୍ତ ନେଇଥିଲେ।ସେଠାରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ମାଡ଼ ମାରି ୧ହଜାର ଟଙ୍କା ସମେତ ଏକ ଦାମୀ ମୋବାଇଲ ଫୋନ ମଧ୍ୟ ଲୁଟି ନେଇ ଚଳନ୍ତା ଅଟୋରୁ ଠେଲି ଦେଇଥିବା ଲାଜୁ ପୋଲିସ ଆଗରେ କହିଛନ୍ତି।ଏନେଇ ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।ସେପଟେ ନନ୍ଦନକାନନ ଏକ ବିଶ୍ଵବିଖ୍ୟାତ ଚିଡ଼ିଆଖାନା ଭାବେ ପରିଚିତ।ଯଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ପର୍ଯ୍ୟଟକ ଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଘଟୁଛି।ହେଲେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏଠାରେ କେତେ ସୁରକ୍ଷିତ।ନନ୍ଦନକାନନ ଛକ ସମେତ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ନ ଥିବାରୁ ଅନେକ ସମୟରେ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଥିସହ ପୋଲିସର ତଦନ୍ତରେ ମଧ୍ୟ ବାଧା ସୃଷ୍ଟି ହେଉଛି।ଯାହାକୁ ନେଇ ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରିଛନ୍ତି।କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.