କଟକ,୩।୩(ଏସଏସନିଉଜ)୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ମୁଣ୍ଡଳି CISFର ୫ କିଲୋମିଟର ପରିଧି ଡ୍ରୋନମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ସିଆଇଏସଏଫ୍ ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ ଆୟୋଜିତ ହେବାକୁ ଯାଉଛି। ଏଥିରେ ବହୁ ସଂଖ୍ୟକ ବରିଷ୍ଠ ଅଧିକାରୀ, ସମ୍ମାନିତ ବ୍ୟକ୍ତି ଏବଂ ନିମନ୍ତ୍ରିତ ଅତିଥିମାନେ ଯୋଗଦେବାର ଆଶା କରାଯାଉଛି। କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ନିମନ୍ତେ ମାର୍ଚ୍ଚ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସ୍ଥଳୀ ଓ ଏହାର ଆଖପାଖ ଅଞ୍ଚଳରେ ପାରା ଗ୍ଲାଇଡର୍, ପାରାମୋଟର୍ସ, ପାୱାରହ୍ୟାଙ୍ଗ୍ ଗ୍ଲାଇଡର୍,ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାରବେଲୁନ୍, UAV କିମ୍ବା ଡ୍ରୋନ୍ ଉଡ଼ାଣକୁ ନିଷେଧ କରାଯାଇଛି । BNSS ଆଇନ, 2023 ର ଧାରା 14(1) ସହିତ BNSS ର ଧାରା 163 ଏବଂ ଆଇନର ଅନ୍ୟାନ୍ୟ ସକ୍ଷମ ବ୍ୟବସ୍ଥା ଅନୁଯାୟୀ ପ୍ରଦତ୍ତ କ୍ଷମତା ଅଧୀନରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ CISF KRTC, ମୁଣ୍ଡଳୀଠାରୁ ୫ (ପାଞ୍ଚ) କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ “ଡ୍ରୋନ ମୁକ୍ତ ଅଞ୍ଚଳ” “NO DRONE ZONE” ଭାବରେ ଘୋଷଣା କରିଛନ୍ତି ।
ଏହି ଆଦେଶର ଉଲ୍ଲଂଘନ କଲେ ନିଷିଦ୍ଧ ଉପକରଣଗୁଡ଼ିକୁ ଜବତ କରାଯିବା ସହିତ ଡ୍ରୋନ୍ ନିୟମ, 2021, ଏୟାରକ୍ରାଫ୍ଟ ଆଇନ, 1934 ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥା ସମେତ ପ୍ରଯୁଜ୍ୟ ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏଣୁ, ସମସ୍ତ ବ୍ୟକ୍ତି ଏବଂ ସଂଗଠନ ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳଙ୍କ ନ୍ୟାୟିକ ବିଭାଗରୁ ପୂର୍ବ ଲିଖିତ ଅନୁମତି ବିନା ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ଅବଧି ମଧ୍ୟରେ କୌଣସି ଡ୍ରୋନ୍ କିମ୍ବା UAV ପରିଚାଳନାକୁ ଅନୁମତି ଦିଆଯିବନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଏଥିସହ ଏହି ସମୟ ମଧ୍ୟରେ CISF କ୍ୟାମ୍ପସ୍, ମୁଣ୍ଡଳୀ ଏବଂ ଗତିପଥର ନିର୍ଦ୍ଦିଷ୍ଟ ରାସ୍ତାରେ କୌଣସି ପ୍ରକାରର ସିଭିଲ୍ କାର୍ଯ୍ୟ, ନିର୍ମାଣ କାର୍ଯ୍ୟକଳାପ, ଖନନ, ରାସ୍ତାକଟା ଅଥବା ଅନ୍ୟ କୌଣସି ରକ୍ଷଣାବେକ୍ଷଣ,ମରାମତି କାର୍ଯ୍ୟ କରାଯିବନାହିଁ। ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନବିଭାଗ, RWSS, TPCODL, CMC/CDA ସମେତ ସମ୍ପୃକ୍ତ ବିଭାଗ/ଏଜେନ୍ସିଗୁଡ଼ିକ ଏହି ନିର୍ଦ୍ଦେଶର କଡ଼ା ଅନୁପାଳନ ନିଶ୍ଚିତ କରିବେ। ଏହି ସମୟ ମଧ୍ୟରେ ନିକଟବର୍ତ୍ତୀ ଅଞ୍ଚଳରେ ଚାଲିଥିବା ଯେକୌଣସି କାର୍ଯ୍ୟକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯିବ। ଏହି ନିର୍ଦ୍ଦେଶର ଉଲ୍ଲଂଘନକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଡ୍ରୋନ ଉଡାଇଲେ କାର୍ଯ୍ୟାନୁଷ୍ଠାନ
Prev Post
Next Post
