ଶଙ୍କରର ବୈରାଗ୍ୟ…

0 65

-ଆଜି ରାତିର ଗପ- ଶଙ୍କରର ବୈରାଗ୍ୟ…

ଗାର୍ହ୍ୟସ୍ଥ୍ୟ-

ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିଲା । ଗ୍ରାମର ଉପାନ୍ତରେ ବିଦ୍ୟାନନ୍ଦ ନାମକ ଜଣେ ସାଧୁଙ୍କର ଆଶ୍ରମ । ଶଙ୍କର ତାଙ୍କୁ ଦର୍ଶନ କରିବାକୁ ଆଶ୍ରମକୁ ଗଲା । ବିଦ୍ୟାନନ୍ଦସ୍ୱାମୀ ତାକୁ ଦେଖିବାମାତ୍ରେ ଅତି ସ୍ନେହରେ ପଚାରିଲେ, “କୁହ ପୁତ୍ର, ତୁମର କ’ଣ ଦରକାର?
ଶଙ୍କର କହିଲା “ଆପଣ ମୋତେ ଆପଣଙ୍କର ଶିଷ୍ୟ ଭାବେ ଗ୍ରହଣ କରନ୍ତୁ । ଆପଣଙ୍କ ସେବା କରି ମୁଁ ଏହିଠାରେହିଁ ରହିବି ।ସାଧୁ ଶଙ୍କରକୁ ତୀକ୍ଷ୍ନଦୃଷ୍ଟିରେ  ଚାହିଁ କହିଲେ, “ବିଦ୍ୟାଶିକ୍ଷା ପାଇଁ ଯେଉଁ ବ୍ରହ୍ମଚାରୀମାନେ ଆସନ୍ତି, ମୁଁ ସେମାନଙ୍କୁ ନିଜର ଶିଷ୍ୟ ରୂପେ ଗ୍ରହଣ କରେ । କିନ୍ତୁ ତୁମେ ତ ଆଉ ବିଦ୍ୟାଶିକ୍ଷା ପାଇଁ ଆସି ନାହଁ, ମନେହେଉଛି ତୁମେ ବ୍ରହ୍ମଚାରୀ ମଧ୍ୟ ନୁହଁ ।
ତାଙ୍କ କଥା ଶୁଣି ଶଙ୍କର ବିନୟପୂର୍ବକ କହିଲା, “ଆଜ୍ଞା, ଆପଣ ତ ସର୍ବଜ୍ଞ, ମୁଁ ଆଉ କ’ଣ ଆପଣଙ୍କ ପାଖରେ ସତ୍ୟକୁ ଲୁଚାଇ ପାରିବି? ଆପଣ ଯାହା କହିଛନ୍ତି ତାହା ସତ୍ୟ; ଘରେ ମୋର ମାତା, ପତ୍ନୀ ଓ ତିନିଟି ପିଲା ଅଛନ୍ତି । ମୋର ପତ୍ନୀ ଅତ୍ୟନ୍ତ ମୁଖରା, ମୋ ମା’ ସହିତ ସର୍ବଦା ତା’ର କଳି ଲାଗି ରହିଥାଏ । ଦୁହେଁ ମୁହୂର୍ତ୍ତକ ପାଇଁ ମଧ୍ୟ ଚୁପ୍ ହେବେ ନାହିଁ । ଦୁହିଁଙ୍କ ମଝିରେ ମୋର ବଡ ଅସହାୟ ଅବସ୍ଥା । କାହାକୁ ହେଲେ ମୁଁ ତା’ର ଭୁଲ୍ ବୋଲି କହିପାରେ ନାହିଁ । ଯଦି କିଛି କହେ, ତେବେ ସେ ଦୁହେଁ ଏକସଙ୍ଗେ ମୋତେ ଆକ୍ରମଣ କରନ୍ତି । ସେହି ଗୃହରେ ଜୀବନ ବଂଚାଇ ରହିବା ମୋପକ୍ଷେ ବଡ କଷ୍ଟକର । ମୋ’ ମନରେ ଶାନ୍ତିନାହିଁ । ସେଥିପାଇଁ ମୁଁ ପରିବାରର ବନ୍ଧନରୁ ମୁକ୍ତ ହୋଇ, ଶାନ୍ତିର ସନ୍ଧାନରେ ଆସି ଆପଣଙ୍କ ନିକଟରେ ପହଁଚିଲି; ଆପଣ ମୋତେ ଟିକେ ଦୟା କରନ୍ତୁ । ମୋତେ ଶିଷ୍ୟ କରି ରଖିଲେ ମୋର ଆତ୍ମା ଶାନ୍ତି ପାଇବ । ବିଦ୍ୟାନନ୍ଦ ସ୍ପଷ୍ଟ କହିଲେ କି ଗୃହସ୍ଥଙ୍କ ପାଇଁ ଏହି ଆଶ୍ରମରେ କୌଣସି ସ୍ଥାନ ନାହିଁ । ତଥାପି ମଧ୍ୟ ସେ ଶଙ୍କର କିଛି ଶୁଣିଲା ନାହିଁ । ସେ ତାଙ୍କ ପାଦ ଧରି ବଡ ଅନୁନୟବିନୟ କଲା । ତା’ପରେ ବିଦ୍ୟାନନ୍ଦ କହିଲେ, “ଏବେ କିଛିଦିନ ଏଠି ରୁହ । କିନ୍ତୁ ମୁଁ ପରେ ତୁମ ପାଇଁ କ’ଣ ଆବଶ୍ୟକ ତାହା ବୁଝାଇ ଦେବି ।
ସପ୍ତାହକ ମଧ୍ୟରେ ଶଙ୍କରକୁ ସେଠିକା ଆଶ୍ରମଜୀବନ ବଡ କଷ୍ଟ ଲାଗିଲା । ତା’ର ମନେହେଲା ସେଠାକାର କଠୋର ନିୟମ ପାଳନ କରିବା ଦୁରୂହ ବ୍ୟାପାର । ସେଠାକାର ସାତ୍ୱିକ ଆହାର ସବୁଦିନେ ଖାଇବା ବଡ କଷ୍ଟ । ଦିନେ ଦୁଆରେ ସେ ଶୋଇଥିଲା । ତାକୁ ବିଦ୍ୟାନନ୍ଦ ଉଠାଇଲେ । ସେ ବ୍ୟସ୍ତ ହୋଇ କହିଲା, “କ’ଣ ହେଲା ଆଜ୍ଞା?
“ଶଙ୍କର, ଏପରି କିଛି ଘଟି ନାହିଁ ଯେ, କିଛି ସମୟ ପୂର୍ବରୁ ମୁଁ ଜପ କରିବାକୁ ଆସି ଦେଖିଲି ଜପମାଳା ନାହିଁ । ଉଠି ଦେଖେ ମାଳାଟି ଗଲା କୁଆଡେ! ଏତିକି କହି ସେ ଶଙ୍କରକୁ ସେହି ଆଶ୍ରମ ବାହାରକୁ ନେଇଗଲେ । ଶଙ୍କର ପଚାରିଲା “ଆଜ୍ଞା ଆପଣ ଶୋଇବା ପୂର୍ବରୁ ଜପମାଳା କେଉଁଠି ରଖିଥିଲେ କିଛି ମନେ ଅଛି କି?
“ମୋର ତ ଖାଲି ଏତିକି ମନେ ପଡୁଛି ଯେ, ମୁଁ ତ ମୋ କକ୍ଷର ଗୋଟିଏ କୋଣରେ ତାକୁ ରଖିଥିଲି । ଘରଭିତରେ ତ ବହୁତ ଅନ୍ଧକାର, କିନ୍ତୁ ଦୁଆରେ ଜହ୍ନ ପଡିଛି ।” ସାଧୁ ଏହା କହିଲେ ଓ ତତ୍ପରେ ସେ ଦୁଇଜଣ ବାହାରକୁ ଆସିଲେ । ସାଧୁଙ୍କ ଏଭଳି କଥା ଶୁଣି ସେ ଶଙ୍କରକୁ ଭାରି ହସ ମାଡିଲା । ସେ ହସ ଚାପିରଖି କହିଲା, “ଆଜ୍ଞା, ଯେଉଁଠି ଜିନିଷ ହଜିଯାଏ, ସେଇଠି ସିନା ଖୋଜା ହୁଏ । ବାହାରେ ଖୋଜିଲେ ତାହା କିପରି ମନେ ପଡିବ?
ତା’ କଥା ଶୁଣି ବିଦ୍ୟାନନ୍ଦ ଅଳ୍ପ ହସି କହିଲେ, “ତୁମେ ଠିକ୍ କଥା କହିଛ । କିନ୍ତୁ ତୁମେ ତ ତାହାହିଁ କରିଛ । ପରିବାରରେ ଯେଉଁ ସୁଖ, ଶାନ୍ତି ମଣିଷ ପାଏ, ତାହା ସେ ଯଦି ନିଜେ ହରାଇ ଥାଏ, ତାହା ତ ସେ ନିଜେ ସେହି ଘରୁହିଁ ପାଇବ । ଯେଉଁଠି ହଜାଇଥିବ ପୁଣି ସେଇଠୁହିଁ ପାଇବ । ତୁମେ ଘରୁ ବିରକ୍ତ ହୋଇ ଆସି ଏଠାରେ ଭଗବାନ ଙ୍କୁ ପାଇବାପାଇଁ ଚେଷ୍ଟା କଲେ ତାହା ପାଇବା ତ ବଡ କଷ୍ଟ ।
ଶଙ୍କର ଏହିକଥାର ଗୁଢାର୍ଥକୁ ବୁଝିଗଲା । ସେ ସଙ୍ଗେ ସଙ୍ଗେ ସାଧୁଙ୍କର ପାଦଛୁଇଁ ପ୍ରଣାମ କରି କହିଲା, “ଆଜ୍ଞା, ଆପଣହିଁ ମୋର ଆଖି ଖୋଲିଦେଲେ । ମୁଁ କାଲି ଆମ ଗ୍ରାମକୁ ଫେରିଯିବି ଓ ଆପଣଙ୍କ ଉପଦେଶ ଅନୁସାରେ ଜୀବନ ବିତାଇବି ।
ବିଦ୍ୟାନନ୍ଦ ଶଙ୍କରକୁ ଆଶିର୍ବାଦ ଦେଇ କହିଲେ, “ଏଥିରେ ଏତେ ଉତ୍କଣ୍ଠିତ ହେବାର କିଛି ନାହିଁ, ରାତିଟି ଆରାମ୍ରେ ଶୋଇ କଟାଅ । ରାତି ପାହିଲେ ତୁମ ପତ୍ନୀଙ୍କୁ ସାଙ୍ଗରେ ନେଇ ଗ୍ରାମକୁ ଫେରିଯାଅ । ସ୍ତ୍ରୀ କଥା ଶୁଣି ଶଙ୍କର ଭୀଷଣ ଭାବେ ଆଶ୍ଚର୍ଯ୍ୟ ହେଲା । ସେ ଜାଣି ନଥାଏ କି ତା’ ସ୍ତ୍ରୀ ମଧ୍ୟ ସେହି ଆଶ୍ରମକୁ ଆସି ବିଦ୍ୟାନନ୍ଦଙ୍କୁ ସମସ୍ତ କିଛି କହିଛି ଓ ଶପଥ ନେଇଛି ଯେ ଭବିଷ୍ୟତରେ ସେ ଆଉ କେବେମଧ୍ୟ ତା’ ଶାଶୁ ସହିତ କଳି କରିବ ନାହିଁ । ମିଳିମିଶି ଚଳିବ । ଶଙ୍କରର ମନରେ କୌଣସି ଦୁଃଖ ଦେବ ନାହିଁ । ସେ ବିଦ୍ୟାନନ୍ଦଙ୍କୁ କାକୁତିମିନତି ହୋଇ କହିଛି ଯେପରି ସ୍ୱାମୀଙ୍କୁ ଫେରାଇ ଦିଆ ଯାଏ । ଶଙ୍କର ସବୁ ଶୁଣିଲା ଓ ବୁଝିଲା । ରାତ୍ରି ପ୍ରଭାତ ହେବା ମାତ୍ରେ ସ୍ୱାମୀସ୍ତ୍ରୀ ଦୁହେଁ ବିଦ୍ୟାନନ୍ଦଙ୍କ ଆଶିର୍ବାଦ ନେଇ, ତାଙ୍କଠାରୁ ବିଦାୟ ନେଇ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କଲେ ।

-ଶଙ୍କରର ବୈରାଗ୍ୟ ସେଇଠି ଶେଷ ହେଲା- । ଜୟ ଜୟ ସୋମନାଥ ।

Leave A Reply

Your email address will not be published.