ଶିବରାତ୍ରି ର ମାହାତ୍ମ୍ୟ

0 97

ଯସ୍ୟେନ୍ଦ୍ରିୟାଣି ସର୍ବାଣି ଵର୍ତନ୍ତେ ଶିବକର୍ମସୁ
ସ ନିସ୍ତରତି ସଂସାରେ ଭୁକ୍ତିଂ ମୁକ୍ତିଂ ଚ ବିଦନ୍ତି
ଶିବ ଭକ୍ତିଯୁତୋ ମର୍ତ୍ତ୍ୟଶ୍ଚାଣ୍ଡାଳ ପୁଲ୍କସୋ€ପି ଚ
ନାରୀ ନରୋ ବା ଚଣ୍ଡୋ ବା ଷଣ୍ଢୋ ଵା ସଦ୍ୟୋ ମୁଚ୍ୟେତ୍ ସଂସୃତେ
( ସ୍କନ୍ଦ ପୁରାଣ ବ୍ରାହ୍ମଖଣ୍ଡ ବ୍ରହ୍ମୋତ୍ତରଖଣ୍ଡ ଶ୍ଳୋକ ୪-୯/୧୦)
ଯାହାର ସମସ୍ତ ଇନ୍ଦ୍ରିୟ ଶିବଙ୍କର ସେବାକର୍ମରେ ଭକ୍ତିଯୁକ୍ତ ଭାବେ ସମର୍ପିତ ସେ ନାରୀ ହେଉ କିମ୍ଵା ନର ହେଉ ଚାଣ୍ଡାଳ ହେଉ ପଶୁ ହେଉ ତାର ସଂସାର ଭୋଗରୁ ନିବୃତ୍ତି ଘଟିଥାଏ ଓ ମୁକ୍ତିପଥ ସମୁଜ୍ଜଳ ହୁଏ। ।ଶିବରାତ୍ରି ପୂଜନର ମହତ୍ତ୍ଵ।
ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ହିନ୍ଦୁ ମାନଙ୍କର ମହାଶିବରାତ୍ରି ବା ଜାଗର ପର୍ବ ପାଳିତ ହୁଏ। ପ୍ରବାଦ ଅଛି ଯେ ରାତ୍ର ଉଜାଗର ରହି ପୂଜା କଲେ ଶିବ ସମସ୍ତ ପାପରୁ ମନୁଷ୍ୟକୁ ମୁକ୍ତ କରନ୍ତି। ଏହି ରାତ୍ର ଉଜାଗର ରହିବା ହେତୁ ଜାଗର ଶବ୍ଦର ସୃଷ୍ଟି ବୋଲି ସେ ଅନେକ ମତବ୍ୟକ୍ତ କରନ୍ତି। ମନୁଷ୍ୟର ସେତିକି ପୂଣ୍ୟବଳ ଥିଲେ ହିଁ ଶିବଙ୍କ ମସ୍ତକରେ ବେଲପତ୍ର ଦେବାର ସୁଯୋଗ ମିଳେ ବୋଲି ମଧ୍ୟ ବିଭିନ୍ନ ଗ୍ରନ୍ଥରେ ଲିଖିତ। ତେବେ ଏହାର ବିଶେଷତା ଉପରେ ଏକ ସୁନ୍ଦର କଥା ଅଛି।
ତ୍ରେତୟା ଯୁଗର ବିଷୟ, ଈକ୍ଷ୍ଵାକୁ ବଂଶରେ ମିତ୍ରସହ ନାମକ ଜଣେ ପ୍ରତାପୀ ରାଜା ଥିଲେ। ସେ ଖୁବ୍ ସାହସୀ, ଈଣ୍ଵର ବିଶ୍ଵାସୀ ଓ ଜଣେ ଦକ୍ଷ ପ୍ରଜାପାଳକ ଥିଲେ। ସେ ଜଣେ ବିଶିଷ୍ଟ ବେଦଜ୍ଞ ମଧ୍ୟ ଥିଲେ। କିନ୍ତୁ ଶୀକାର କରିବାର ଶୌକ ଥିଲା ତାଙ୍କର। ଥରେ ଜଙ୍ଗଲରେ ବିଚରଣ କରିବା ଅବସ୍ଥାରେ ଗୋଟିଏ ନିଶାଚର ଅଗ୍ନି ଭଳି ତେଜିୟାନ୍ ଅସୁରକୁ ନିପାତ କରିଥିଲେ। ସେହି ଅସୁରର ସାନଭାଇ ରାଜାଙ୍କର କବଳରୁ ବଞ୍ଚି ଗଲା। କିନ୍ତୁ ସେ ପ୍ରତିଶୋଧ ପରାୟଣ ହୋଇ ଚିନ୍ତାକଲା ଯେ ଯୁଦ୍ଧରେ ରାଜାଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ, ତେଣୁ ମନୁଷ୍ୟ ଦେହ ଧାରଣ କରି ନିଜକୁ ସେବକ ଭାବେ ରାଜାଙ୍କର କୃପାଭିକ୍ଷା କଲା। ରାଜା ତାହାର ଅନ୍ତର୍ନିହିତ ମନ୍ଦ ଉଦ୍ଦେଶ୍ୟ ଓ ଛଦ୍ମବେଶ ନଜାଣିପାରି ତାକୁ ରୋଷଘର ଦାୟିତ୍ୱ ଦେଇଦେଲେ। କିଛି ଦିନ ପରେ ପିତୃପକ୍ଷ ଶ୍ରାଦ୍ଧ ଆରମ୍ଭ ହେଲା। ରାଣୀଙ୍କର ନାମ ଥିଲା ମଦୟନ୍ତୀ। ସେ ନଳରାଜାଙ୍କ ସ୍ତ୍ରୀ ଦମୟନ୍ତିଙ୍କ ଭଳି ସାଧ୍ଵୀ ଓ ପବିତ୍ର ଥିଲେ। ମଦୟନ୍ତୀ କୁଳଗୁରୁ ବଶିଷ୍ଠ ଙ୍କୁ ଶ୍ରାଦ୍ଧକୁ ନିମନ୍ତ୍ରଣ କରିବା ପାଇଁ ରାଜାଙ୍କୁ ପରାମର୍ଶ ଦେଲେ ଓ ବଶିଷ୍ଠ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଭୋଜନରେ ଉପବିଷ୍ଟ ହେଲେ। ସେତିକିବେଳେ ଉକ୍ତ ରାକ୍ଷସ ବଶିଷ୍ଠଙ୍କ ଭୋଜନ ପାତ୍ରରେ ନରମାଂସ ପରିବେଷଣ କରିଦେଲା। ବଶିଷ୍ଠ ସଙ୍ଗେ ସଙ୍ଗେ ଅପମାନିତ ମନେକରି ରାଜାଙ୍କୁ ତିରସ୍କାର କରି ରାଜାଙ୍କୁ ରାକ୍ଷସ ହେବା ପାଇଁ ଅଭିଷାପ ଦେଇଦେଲେ। କିନ୍ତୁ ଯେତେବେଳେ ବଶିଷ୍ଠ ଜାଣିଲେ ଯେ ଏହା ରାକ୍ଷସର କାର‌୍ୟ୍ୟ ବୋଲି ସେ ଉକ୍ତ ଶାପକୁ କମାଇ ବାରବର୍ଷ କରିଦେଲେ। ରାଜାମଧ୍ୟ କ୍ରୋଧରେ ପାଗଳ ହୋଇ ଅଜାଣତରେ ନରମାଂସ ପରଷା ଯାଇଥିବା ସତ୍ତ୍ଵେ ବଶିଷ୍ଠଙ୍କ ଅଭିଶାପ ହେତୁ ଅଞ୍ଜଳିପୁଟରେ ଜଳରଖି ମନ୍ତ୍ର ଉଚ୍ଚାରଣ କରି ବଶିଷ୍ଠଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ସମୟରେ ରାଣୀ ତାଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ଅନୁରୋଧ କଲେ। ତତ୍କ୍ଷଣାତ୍ ରାଜା ଉକ୍ତ ଜଳକୁ ନିଜ ପାଦରେ ଫିଙ୍ଗି ଦେଲେ। ଏହିକାରଣରୁ ତାଙ୍କର ପାଦ କଳ୍ମଷ ଯୁକ୍ତ ହେଲା ଓ ସେ କଳ୍ମଷପାଦ ନାମରେ ନାମିତ ହେଲେ।
ରାଜା ଗୁରୁ ଅଭିଶାପରେ ଅରଣ୍ୟରେ ରାକ୍ଷସ ହୋଇ ଭ୍ରମଣ କଲେ। ଦିନେ ଜଣେ ତରୁଣ ଋଷିକୁମାର ସଦ୍ୟ ବିବାହିତ ପତ୍ନୀଙ୍କ ସହ ବନରେ ଭ୍ରମଣ କରୁଥିବାର ଦେଖିଲେ। ନିଜର ନରମାଂସ ଭକ୍ଷଣ କରିବା ପ୍ରବୃତ୍ତି କୁ ଦମନ ନକରି ପାରି ସେ ମୁନିକୁମାରଙ୍କୁ ଭକ୍ଷଣ କରିଦେଲେ। ଏହା ଦେଖି ତାଙ୍କ ପତ୍ନୀ ବିଳାପ କରି ପତିଙ୍କର ହାଡକୁ ଏକାଠି କରି ସେ ଅଗ୍ନି ସଂଯୋଗ କରି ଚିତାରେ ପ୍ରବେଶ ପୂର୍ବରୁ ରାକ୍ଷସ-ରାଜା କଳ୍ମଷପାଦଙ୍କୁ ଅଭିଶାପ ଦେଲେ ଯେ \”ତୁମେ ମଧ୍ୟ ତୁମ ସ୍ତ୍ରୀ ସହ ସଙ୍ଗମ କାଳରେ ମୃତ୍ୟୁମୁଖରେ ପତିତ ହେବ।
ଏହାପରେ ବାରବର୍ଷ ଶାପର ପରିସମାପ୍ତି ପରେ ରାଜା ତାଙ୍କ ଉଆସକୁ ପ୍ରତ୍ୟାଗମନ କଲେ। ତାଙ୍କ ସ୍ତ୍ରୀ ମଦୟନ୍ତୀ ସଙ୍ଗମ କାଳର ଶାପ ବିଷୟରେ ଅବଗତ ଥିଲେ ଓ ସ୍ଵାମୀଙ୍କୁ ସଙ୍ଗମରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କଲେ। ରାଜା ମଧ୍ୟ ଧୀରେ ଧୀରେ ସଂସାର ପ୍ରତି ବିରକ୍ତ ହେବାକୁ ଆରମ୍ଭ କଲେ। ସେ ସବୁବେଳେ ତାଙ୍କୁ ଗୋଟିଏ ପିଶାଚୀ ଅନୁସରଣ କରୁଥିବା ଜାଣିବାକୁ ପାଇଲେ। ତାହା ହେଲା ବ୍ରହ୍ମ ହତ୍ୟା। ଏଥର ରାଜା ପୁନଶ୍ଚ ଅରଣ୍ୟଗାମୀ ହୋଇ ନିରନ୍ତର ଭ୍ରମଣ କଲେ। ଦିନେ ଗୌତମ ଊଷିଙ୍କ ଆଶ୍ରମରେ ପହଞ୍ଚିଲେ। ଗୌତମ ଊଷି ତାଙ୍କୁ ହର୍ଷଵଦନରେ ସ୍ଵାଗତ କଲେ ଓ ରାଜାଙ୍କୁ କୁଶଳ ପୃଛା କଲେ। ରାଜା ଊଷିଙ୍କ ପାଦସ୍ପର୍ଶ କରି ଦୁଃଖରେ ସମସ୍ତ ବିଷୟ ବର୍ଣ୍ଣନା କଲେ ଓ ବ୍ରହ୍ମହତ୍ୟା ବିଷୟ ମଧ୍ୟ କହିଲେ। ସ୍ମିତହାସ୍ୟ ସହ ଋଷି ତାଙ୍କର ମସ୍ତକକୁ ସ୍ପର୍ଶ କରି କହିଲେ \”ରାଜା ତୁମେ ଭାଗ୍ୟବାନ୍ ଅନୁତାପ ଦ୍ଵାରା ସମସ୍ତ ପାପକୁ ଦ୍ରବୀଭୁତ କରିଦେଇଛ। ଏଥିରୁ ମୁକୁଳିବା ପାଇଁ ତୁମକୁ ମୁଁ ରାସ୍ତା ଦେଖାଇ ଦେଉଛି। ତୁମେ ଭଗବାନ ଶଙ୍କରଙ୍କୁ ଗୋକର୍ଣ୍ଣ ନାମକ ଏକ ମହାନ୍ ତୀର୍ଥ କ୍ଷେତ୍ରରେ ଆରାଧନା କର। ତୁମର ସମସ୍ତ ପାପ ସେ ହିଁ ଧୌତ କରିପାରିବେ। ଗୋକର୍ଣ୍ଣ କ୍ଷେତ୍ରରେ ଶିବଙ୍କୁ ସ୍ମରଣମାତ୍ରେ ସମସ୍ତ ପାପ ଖଣ୍ଡିତ ହୁଏ। ରାବଣ ଯେଉଁ ଲିଙ୍ଗରୂପି ଭଗବାନ ଶିବଙ୍କ ଦ୍ଵାରା ବର ପାଇଥିଲା ତାହାକୁ ଭଗବାନ ଗଣେଷ ଗୋକର୍ଣ୍ଣରେ ସ୍ଥାପନ କରିଛନ୍ତି। ସେହିଠାରେ ହିଁ ଅଗସ୍ତି ମୁନି ତପସ୍ୟାକରି ଶିବ ପ୍ରସାଦ ଲାଭ କରିଥିଲେ। ଏହି କ୍ଷେତ୍ରରେ କୋଟି କୋଟି ଶିବଲିଙ୍ଗ ଲୁକ୍କାୟିତ ଭାବେ ଅଛି। ତାର କାରଣ ଶିବଙ୍କର ରୂପଲୀଳା। ସତ୍ୟଯୁଗରେ ମହାବଳ ନାମରେ ଶିବ ଶୁଭ୍ର ରଙ୍ଗର, ତ୍ରେତାରେ ଲାଲ୍ ରଙ୍ଗ, ଦ୍ଵାପରରେ ପୀତବର୍ଣ୍ଣ ଓ କଳିରେ ଶ୍ୟାମ ବର୍ଣ୍ଣ। ତୁମେ ଅତି ଶୀଘ୍ର ସେଠାକୁ ଗମନ କର ଓ ତପସ୍ୟାରତ ହୋଇ, ଯସସ୍ଵୀ ହୁଅ। ଏହାପରେ ରାଜା ଗୋକର୍ଣ୍ଣ କ୍ଷେତ୍ରକୁ ଗମନ କଲେ।
ଗୋକର୍ଣ୍ଣକୁ ଯିବେ କିପରି
ପଶ୍ଚିମ ଘାଟ ପର୍ବତମାଳାର ସମୁଦ୍ର ତଟରେ ଗୋକର୍ଣ୍ଣ ଅବସ୍ଥିତ। ଏହା ଦୁଇଟି ନଦୀର ସଙ୍ଗମସ୍ଥଳ। ନଦୀ ଦୁଇଟି ହେଲା ଅଗ୍ନାଶୀନି, ଗଙ୍ଗାବଳୀ। ମାଙ୍ଗାଲୋର ମୁମ୍ଵଇ ହାଇଓ୍ଵେ (ନେସନାଲ ହାଇଓ୍ଵେ ନମ୍ଵର ୧୭)ଏହି ସ୍ଥଳ ଦେଇ ଯାଉଛି। ଏହି ସ୍ଥାନ ଉତ୍ତର କର୍ଣ୍ଣାଟକ ର କରଓ୍ଵାର ସହରଠାରୁ ୫୬ କିଲୋମିଟର, ମାଙ୍ଗାଲୋର ଠାରୁ ୨୫୨ କିଲୋମିଟର, ବାଙ୍ଗୋଲୋର ଠାରୁ ୪୫୦ କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ଫ୍ଲାଇଟରେ ମଧ୍ୟ ଯାଇ ହେବ। ନିକଟସ୍ଥ ଏୟାର ପୋର୍ଟ ପାନାଜୀ(ଗୋଆ) ୧୫୫ କିଲୋମିଟର।
ଶିକ୍ଷା —–
ପୁରାଣରେ ବହୁତ ଗଳ୍ପ ମିଳେ। ଆମେ ପ୍ରାୟତଃ ଏହା ସତ୍ୟ କି ମିଥ୍ୟା ସେ ବିଷୟରେ ଯୁକ୍ତି କରୁ କରୁ ବିଷୟରୁ ଦୂରେଇ ଯାଇ ନିଜ ନିଜ ଜିଦରେ ଅଟକି ରହୁ। କିନ୍ତୁ ଭାବନ୍ତୁତ ଏହି ଗଳ୍ପରେ କଣ ଶିଖିବାର ଅଛି?
➡️ପ୍ରଥମତଃ ଯେ କୌଣସି କାର୍ଯ୍ୟ ଆପଣ ଜାଣତରେ କରନ୍ତୁ ବା ଅଜାଣତରେ କରନ୍ତୁ ତାହାର କର୍ମଫଳ ଆପଣ ଭୋଗ କରିବାକୁ ବାଧ୍ୟ। ଅଜାଣତରେ କରିଥିବା ପାପ ପାପ ହିଁ ଅଟେ। ଆପଣ ନିଜକୁ ଯେତେ ନିର୍ଦ୍ଦୋଷ ବୋଲି ଯୁକ୍ତି କରନ୍ତୁ ନା କାହିଁକି।
➡️ଦ୍ଵିତୀୟତଃ ଅନେକ ପାଠକ ଯୁକ୍ତି କରନ୍ତି ଯେ ଗୋଟିଏ ପାପର ଫଳ ମଧ୍ୟରେ ଅନ୍ୟ ଗୋଟିଏ ପୂଣ୍ୟ ବା ପାପ ହୋଇ ହିସାବକୁ ଆସେ ନାହିଁ। କିନ୍ତୁ ତାହା ଭ୍ରମାତ୍ମକ। ଅନ୍ୟ ପାପର ଫଳ ମଧ୍ୟ ଅଛି ଓ ପୂଣ୍ୟର ମଧ୍ୟ ଅଛି। ତେଣୁ ଉଭୟକୁ ଭୋଗ କରିବାକୁ ପଡିବ।
➡️ତୃତୀୟତଃ ଗୁରୁ ଅଭିଶାପ ଅବଶ୍ୟାମ୍ଭାବୀ ଓ ଗୁରୁଙ୍କ ଭୁଲ ଦେଖିବା ଶିଷ୍ୟର କର୍ତ୍ତବ୍ୟ ନୁହେଁ।
➡️ଚତୁର୍ଥତଃ ସ୍ତ୍ରୀ ଚରିତ୍ର। ଋଷି କୁମାରଙ୍କର ତରୁଣୀ ସ୍ତ୍ରୀ ହୁଅନ୍ତୁ ବା ମଦୟନ୍ତୀ ହୁଅନ୍ତୁ ସେମାନଙ୍କ ଜୀବନଯାତ୍ରା କେତେ ଉନ୍ନତ ଥିଲା। ସେମାନେ ନିଜର ଚରିତ୍ର ଓ ପୂଣ୍ୟବଳରେ ସ୍ଵାମୀମାନଙ୍କର ଜୀବନଯାତ୍ରାକୁ ଉର୍ଦ୍ଧ୍ବ ମୁଖୀ କରିପାରୁଥିଲେ।
➡️ପଞ୍ଚମତଃ ଭଗବାନ ଶିବ ଭଗବାନ ବିଷ୍ଣୁଙ୍କର ଏକ ଅନ୍ୟରୂପ। ଯେପରି ଦୁଗ୍ଧର ରାସାୟନିକ ପ୍ରକ୍ରିୟାରେ ଦଧି ଲାଭ କରିହୁଏ ଓ ଯେପରି ଉଭୟଙ୍କ ମଧ୍ୟରେ ସୃଷ୍ଟି ଗତ ପାର୍ଥକ୍ୟ ନଥାଏ, ସେହିପରି ବିଷ୍ଣୁ ଓ ଶିବ ଏକ ଓ ଅଭିନ୍ନ। ଏଣୁ ମହାଶିବରାତ୍ରିରେ ଶିବଙ୍କର ଆରାଧନା କରି ଦେବ ଦେବ ମହାଦେବଙ୍କର କୃପାର ପାତ୍ର ହୁଅନ୍ତୁ। ।। ହରିଓଁ ।।

Leave A Reply

Your email address will not be published.